ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି)ର ଅଧ୍ୟକ୍ଷ ତଥା ଭାରତୀୟ ଇସ୍ପାତ ସଂଘର ସଭାପତି ନବୀନ ଜିନ୍ଦଲ ଆଜି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କମ୍ପାନିର ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ କାରଖାନାର ସମ୍ପ୍ରସାରଣ ବିଷୟରେ ଅବଗତ କରିଛନ୍ତି। ଶ୍ରୀ ଜିନ୍ଦଲ କହିଛନ୍ତି ଯେ ବର୍ତ୍ତମାନ କାରଖାନାରେ ଯେଉଁ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତାହା ୨୦୨୫ରେ ସରିବ। ଆସନ୍ତା ୭ ବର୍ଷରେ କାରଖାନାର କ୍ଷମତା ୨୫ ନିୟୁତ ଟନ୍କୁ ବୃଦ୍ଧି ପାଇବ। ଏଥି ସହିତ ଗୋଟିଏ ସ୍ଥାନରେ ସ୍ଥାପନ କରାଯାଇଥିବା ବିଶ୍ବର ସର୍ବବୃହତ କାରଖାନା ଭାବେ ଏହା ଉଭାହେବ ବୋଲି ସେ କହିଛନ୍ତି। ଜେଏସ୍ପି ଏହାର ଅନୁଗୁଳ କାରଖାନାର କ୍ଷମତାକୁ ବର୍ତ୍ତମାନର ବାର୍ଷିକ ୬ ନିୟୁତ ଟନ୍ରୁ ବଢ଼ାଇ ୧୨ ନିୟୁତ ଟନ୍ କରିବା ଉପରେ କାମ କରୁଛି।
ଶ୍ରୀ ଜିନ୍ଦଲ ମଙ୍ଗଳବାର ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଓ ୱାର୍ଲଡ ସ୍କିଲ୍ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ। ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ସେ ତାଲିମ ଓ ମାନୁଫାକ୍ଚରିଂ ୟୁନିଟ୍ ବୁଲି ଦେଖିଥିଲେ। ବୟନ ଶିଳ୍ପ ପାଇଁ ଭବିଷ୍ୟତର ଶ୍ରମ ଶକ୍ତି ପ୍ରସ୍ତୁତ କରିବା ନିମନ୍ତେ ପୋଷାକ ଉତ୍ପାଦନ ୟୁନିଟ୍ରେ ଦିଆଯାଉଥିବା ତାଲିମକୁ ସେ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ। ଆଡ୍ଭାନ୍ସଡ୍ ଉଡ୍ ଇଞ୍ଜିନିୟରିଂ ଲର୍ଣ୍ଣିଂ ଲ୍ୟାବ୍ ମଧ୍ୟ ସେ ବୁଲିଥିଲେ। ସେହିପରି, ୱାର୍ଲଡ୍ ସ୍କିଲ୍ ସେଣ୍ଟରରେ ଥିବା ସୁବିଧାସୁଯୋଗକୁ ସେ ପ୍ରଶଂସା କରିବା ସହ ଶିଳ୍ପ ପାଇଁ ଯୁବବର୍ଗଙ୍କୁ ସଶକ୍ତ କରିବାରେ ଏହି ଅଭିଯାନ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଶ୍ରୀ ଜିନ୍ଦଲଙ୍କ ସହ ଭାରତୀୟ ଇସ୍ପାତ ସଂଘର ମହାସଚିବ ଆଲୋକ ସହାୟ, ଜେଏସ୍ଡବ୍ଲୁ ଷ୍ଟିଲ୍ର ସିଇଓ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଜୟନ୍ତ ଆଚାର୍ଯ୍ୟ, ଟାଟା ଷ୍ଟିଲ୍ର ଉପାକ୍ଷ୍ୟକ୍ଷ (ଅପରେସନ୍ସ) ରାଜୀବ କୁମାର, ମାଇନିଂ ଓ ମେଟାଲ୍ ନିର୍ଦ୍ଦେଶକ ଆଲୋକ ମେହଟ୍ଟା, ସେଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ବିପି ଆଣ୍ଡ ଏସ୍ଏଲ୍ର ନିର୍ଦ୍ଦେଶକ ଅନିଲ କୁମାର ସିଂହ ଉପସ୍ଥିତ ଥିଲେ। ନୂତନ ଓଡ଼ିଶା ଗଠନରେ ଇସ୍ପାତ ଶିଳ୍ପ କିଭଳି ସହଯୋଗ କରିପାରିବ ତାହାକୁ ନେଇ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ମାଗଦର୍ଶନ ପାଇଁ ଶିଳ୍ପ ପ୍ରତିନିଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।