ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବଢ଼ି ଚାଲିଛି ଚୋରା ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା ବାଲି କାରବାର ହେଉଥିବା ଆକଳନ କରାଯାଇଛି। ମହାନଦୀର କିଲିପାଳ ଓ ଜଇପୁର ଘାଟରେ ଚଢ଼ଉ ପରେ ଚୋରା ବାଲି କାରବାର ଆଖି ଖୋଲି ଦେଇଥିଲା। ଏହି ମାମଲାରେ ଜିଲ୍ଲା ଖଣି ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। କିନ୍ତୁ ବାଲି ମାଫିଆଙ୍କ କଳାଧନର ଏଯାଏଁ ଗୁମର ଖୋଲି ନାହିଁ। କେବଳ ଏହି ଦୁଇଟି ବାଲିଘାଟ ନୁହେଁ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ବାଲିଘାଟର ସମାନ ଅବସ୍ଥା। ଜିଲ୍ଲାରେ ପ୍ରାୟ ୨୭ଟି ବାଲିଘାଟ ଥିବା ବେଳେ ୧୪ରୁ ଅଧିକ ଘାଟର ନିଲାମ ହୋଇଛି। ଘାଟକୁ ଯେତିକି ଅନୁମତି ମିଳିଛି ତା ଠାରୁ ଅଧିକ ପରିମାଣର ବାଲି ଉତ୍ତୋଳନ ଚାଲିଛି। ରାତି ତମାମ୍ ଜଗତସିଂହପୁର ସହର ଦେଇ ଶହଶହ ବାଲିବୋଝେଇ ଗାଡ଼ି ଧାଉଁଛି। ଜଗତସିଂହପୁର ନାଉଗାଁ, ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଅଞ୍ଚଳରୁ ବାଲି ଚୋରା ଚାଲାଣ ଚାଲିଛି। ଗଞ୍ଜାମରେ ବାଲି ମାଫିଆଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ଚଢ଼ଉ ପରେ ଜଗତସିଂହପୁର ଜିଲ୍ଲାରେ ଚଢ଼ଉ ପାଇଁ ମଧ୍ୟ ଏବେ ଦାବି ଉଠୁଛି।

Leave a Reply

Your email address will not be published. Required fields are marked *